Unknown

 

 

 

 

 

 

 

 

 

ଆମେ ଜଣେ

ଶ୍ରୀ ବିଦ୍ୟାଧର ମହାନ୍ତି

 

ଉତ୍ସର୍ଗପତ୍ର

 

ମୋର ପୂଜ୍ୟ-ପାଦ ଶିକ୍ଷା-ଗୁରୁ

ସଚ୍ଚରିତ୍ର ପରିଚାଳକ

ଚିର ଜୀବନର ପରମ ହିତୈଷୀ

ଢେଙ୍କାନାଳ ଉଚ୍ଚ ଇଂରାଜୀ ବିଦ୍ୟାଳୟର ପ୍ରଧାନ ଶିକ୍ଷକ

ଦେବ-ପ୍ରତିମ ଶ୍ରୀଯୁକ୍ତ ରାଜେନ୍ଦ୍ରଲାଲ ଦତ୍ତ B.A. ଙ୍କ

ଶ୍ରୀଚରଣ-କମଳରେ

ଶ୍ରଦ୍ଧା ଓ ଭକ୍ତିର ନିଦର୍ଶନ ସ୍ୱରୂପ

ଏହି ସାମାନ୍ୟ ପୁସ୍ତିକା ଖଣ୍ଡି

ସାଦରେ

ଅର୍ପଣ କଲି । ଇତି ।

 

କଟକ କଲେଜ,

 

ଚୈତ୍ର ପୂର୍ଣ୍ଣିମା ଦିବସ

ଶ୍ରୀ ବିଦ୍ୟାଧର ମହାନ୍ତି

୧୩୩୫ ସାଲ

 

Image

 

ସୂଚୀପତ୍ର

 

୧.

ଆମେ ଜଣେ ନାମଜାଦା ଓକୀଲ

୨.

ଆମେ ଜଣେ ବିଲାତ ଫେରନ୍ତା

୩.

ଆମେ ଜଣେ କ୍ଷତ୍ରୀୟ

୪.

ଆମେ ଜଣେ Most Fashionable

୫.

ଆମେ ଜଣେ ରାଜାଙ୍କ ପାଖଲୋକ

୬.

ଆମେ ଜଣେ Forward

୭.

ଆମେ ଜଣେ ମାମଲତକାର

୮.

ଆମେ ଜଣେ ଖାଣ୍ଟି ବ୍ରାହ୍ମଣ

୯.

ଆମେ ଜଣେ ବଡ଼ଲୋକର ପୁଅ

୧୦.

ଆମେ ଜଣେ Brilliant scholar

୧୧.

ଆମେ ଜଣେ Scout

୧୨.

ଆମେ ଜଣେ Teacher

୧୩.

ଆମେ ଜଣେ ରସିକ

୧୪.

ଆମେ ଜଣେ Non-co-operator

୧୫.

ଆମେ ଜଣେ ସନ୍ନ୍ୟାସୀ

Image

 

ଆମେ ଜଣେ ନାମଜାଦା ଓକୀଲ

 

ଆମେ ଜଣେ ନାମଜାଦା ଓକୀଲ ଏହିଖଣ୍ଡେ ।

ଭାଗ୍ୟବଳୁ ଯଶବାନା ଉଡ଼ୁଛି ସଦା ମୁଣ୍ଡେ ।

ତୁଣ୍ଡେ ତୁଣ୍ଡେ ଲଅଗୁଡ଼ା, ହାସଲ ସବୁ ଗୁଣେ ।

ଲୋଡ଼ା ନାହିଁ ପୋଥିପତ୍ର, ପଡ଼ିଛି ଘରକୋଣେ ।

ଭଲବେଳେ ଜନ୍ମ ଲଭି, ଉଜ୍ଜଳ କଲୁ ବଂଶ ।

ପିତାମାତା ନାମ ରଖି, ପାଉଛୁ ପଉଋଷ ।

ନ ପଡ଼ିବେ ପାସଙ୍ଗରେ, ଓକୀଲ ଯେତେ ଆଉ ।

କୁକୁରଙ୍କ ପରି ସିନା, ହୁଅନ୍ତି ଭାଉ ଭାଉ ।

ବୁଢ଼ାଠାରୁ ଭେଣ୍ଡାଯାଏ, ମାମଲାଖୋର ଯେତେ ।

ଦିନରାତି ପାଶେ ଉଭା ସୁମାରି ଦେବୁ କେତେ ।

ବୁଦ୍ଧିବଳେ ଫାଶିଗାତୁ ଦୋଷୀକି ଆଣୁ ଟାଣି ।

କଳାରଙ୍ଗ ଧଳାକରି, ଉଦ୍ଧରି ରଖୁ ପ୍ରାଣୀ ।

(ପୁଣି) ନିର୍ଦ୍ଦୋଷୀକି ଦୋଷେ ମାଡ଼ି ଦେଖାଉ ବାହାଦୁରୀ ।

ବେଳବେଳ ପରବିତ୍ତେ ବଢ଼ଇ ଆମ୍ଭ ଶିରୀ ।

ମିଛ ଆମ୍ଭ କାରବାର, ଜୀବନ ସାରା ପେଶା ।

ପାପ ପଥେ ଚାଲି ଆମ୍ଭେ, ଅରଜୁ ପରଶଂସା ।

ଗୋଲ ଗୋଲ ରୂପାମୁଦ୍ରା, ଭୁଲାଇ ନିଏ ମନ ।

ଠଣ ଠଣ ଶବ୍ଦେ ତାର ମୋହିତ ହୁଏ କାନ ।

ଦେଖି ତାର ସୁମୂରତି, ବିବେକ ଯାଉ ଭୁଲି ।

ନ ବିଚାରି ପରିଣାମ, ଅନ୍ୟାୟେ ପଶୁ ଠେଲି ।

ଧନ୍ୟ ଧନ୍ୟ, ଆମ୍ଭେ ଏହି, ଦେଶର ସୁନାପୁଅ ।

ଆମ୍ଭ ଅନ୍ତେ ଦେଶବାସୀ, ଗଡ଼ାଇବେ କି ଲୁହ ?

Image

 

‘ବିଲାତ ଫେରନ୍ତା’

 

Good morning good morning my dear friend

ବିଲାତ ଫେରନ୍ତା ଆମେ; କର Shake ହେଣ୍ଡ,

Indian ବ୍ୟବହାର ଦେଖି ଲାଗେ ଘଣା,

Manner ବିଷୟ ମୂଳୁଁ ନାହିଁ କା’ଙ୍କୁ ଜଣା ।

କି ବର୍ଣ୍ଣିବୁ ଅବା Indian food କଥା ?

ଖାଆନ୍ତି ପଶୁଙ୍କ ତୁଲ୍ୟ, ନାହିଁ କିଛି ପ୍ରଥା ।

European ଆଡ଼ାରେ ଗଢ଼ା ଏ ଜୀବନ;

ହୃଦୟେ ଜାଗ୍ରତ ସଦା high-ambition ।

ଛାଡ଼ି ନିଜ ଦେଶୀ ସାଜ, ପିନ୍ଧୁ waist coat;

ବିଲାତୀଙ୍କ favourରେ ଦେଉ ଆମ୍ଭେ Vote ।

ଚାଲୁ ଗୋଡ଼ ଫେରେକେଇ, ମୁତୁ ହୋଇ ଠିଆ;

ଚାମଚରେ ଖାଉ ନିତି ଅଣ୍ଡା, beef ଚାଆ ।

ସାହେବୀ ଫେସନେ ମୁଖେ ଘେନି ଖଣ୍ଡେ ପିକା,

ଲାଗିଯାଉ ନିଜକାର୍ଯ୍ୟେ ତେଜି ସବୁ ଧୋକା ।

ବୃଥା ସାବୁନ କୀଣାରେ ସରିଗଲା ଧନ,

Change କରି ନପାରିଲୁ ଦେହର ବରନ ।

Wife ରତ୍ନ ଆମ୍ଭର ପୂରା ସାହେବାଣୀ;

ଖଞ୍ଜି ଦେଇଛି ବିଧାତା ତାଙ୍କୁ ମନ ଜାଣି ।

Mother language କହିବାକୁ ମାଡ଼େ ଲାଜ;

ଅଡ଼ୁଆ ଲାଗେ ଦେଖିଲେ nasty ଦେଶୀ ସାଜ ।

Most vernacular ଏ country-fellow ଗୁଡ଼ା;

କୌଣସି କାର୍ଯ୍ୟରେ ବେଳେ ନହୁଅନ୍ତି ଲୋଡ଼ା,

ମିଳାମିଶା କରିବାକୁ ଏହାଙ୍କ ସହିତ,

ଶଙ୍କାହୁଏ, honour ରେ ପଡ଼ିବ ବ୍ୟାଘାତ ।

(ତେଣୁ) ଦେଶବାସୀଙ୍କ ସମ୍ମୁଖେ ସିଂହ ପରାକ୍ରମ;

(କିନ୍ତୁ) ସାହେବଙ୍କ ପାଖେ ମେଣ୍ଢା ଛୁଆ ପରି ନମ୍ର ।

Image

 

କ୍ଷତ୍ରିୟ

 

କ୍ଷତ୍ରୀ ରକ୍ତେ ଗଢ଼ା ଏ ଶରୀର;

ଆମ୍ଭ ପୂରୁବ ପୁରୁଷ ରଖିଯାଇଛନ୍ତି ଯଶ,

ଯାଙ୍କ ବାହୁବଳେ କମ୍ପିଥିଲା ତିନିପୁର;

ସେହି ମହାକ୍ଷତ୍ରୀଙ୍କର ଆମ୍ଭେ ବଂଶଧର ।

ଆମ୍ଭ ପିତା, ପିତାମହ ଆଦି

ଏହି ମାତୃଭୂମି ଲାଗି ହୋଇଥିଲେ ଆତ୍ମତ୍ୟାଗୀ;

ଚିର କଣ୍ଟକ ଶତ୍ରୁଙ୍କ ସଙ୍ଗେ ବାଦ ସାଧି ।

ତାଙ୍କ ବୀର୍ଯ୍ୟେ ଜାତହୋଇ ଆମ୍ଭେ କି ହେ ମାଦୀ !

ହାତ ଗୋଡ଼େ ଲାଗିଅଛି ବେଡ଼ି,

ସିଆଁ ହୋଇଅଛି ପାଟି, କାମୁଡ଼ି ରହିଛୁ ମାଟି,

ବଚସ୍କର ସମ ସିନା ଅଛୁ ଆମ୍ଭେ ପଡ଼ି,

ଗତ ସ୍ମୃତି ଭାବି ହୃଦ ନ ଯାଏ କି ପୋଡ଼ି ?

ଧମନୀର ରକ୍ତ ସୁଶୀତଳ,

ଖାଲି ପଡ଼ିଅଛି ମୁଣ୍ଡ ନିର୍ଜୀବ-ବତ ଏ ପିଣ୍ଡ,

ନ ସଞ୍ଚରେ ଦେହେ ଆଉ ଅତୀତର ବଳ

ପରକୃତ ଅପମାନେ ନାହିଁ ମନେ ଛଳ ।

ଘରକୋଣେ ଥାଏ ଆମ୍ଭ ଟେକ,

ଭୁକିଲା କୁକୁର ସମ ଅଟେ ସିନା ଆମ ଧର୍ମ,

ବାକ୍ୟଠାରୁ କାର୍ଯ୍ୟ ଭାଇ ଅନେକ ପୃଥକ,

‘ମାଇପ ଆଗରେ ଆମ୍ଭେ ବୋଲାଉ ପାଇକ’ ।

Image

 

ମୋଷ୍ଟ ଫାସନେବ୍ଲ

 

ଜୀବନର ମୁଖ୍ୟ ଉଦ୍ଦେଶ୍ୟ

ସିନା ନଆ Fashion

Fashion ବଳରେ ଉନ୍ନତ

ଆଜି କେତେ nation ।

ଏଡ଼େ ବଡ଼ ଗୋଟେ topic

କେତେଦୂର ନିଶ୍ଚିତ,

ଜଗତକୁ ଆମ୍ଭେ ଶିଖାଇ

ନିଜେ ହେଲୁ ଶିକ୍ଷିତ ।

Modern fashion ହାଉଆ

ଯହୁଁ ବାଜିଲା ପ୍ରାଣେ,

ନୂଆ ଆଡ଼ମ୍ୱର ଭାବନା

ଜାଗି ଉଠିଲା କ୍ଷଣେ ।

Manchester ବୁଦ୍ଧି ହଜିଲା

ଦେଖି ଲୁଗା ବରାଦ,

ମନୋମତ Shoes ଦେବାକୁ

କାହିଁ Tanery ସାଧ୍ୟ ?

Essence କମ୍ପାନି କପାଳେ

ବୃହସ୍ପତି ପଞ୍ଚମ,

Cigarette ବଂଶ ଦୁଃଖରେ

ସାକ୍ଷୀକଲେ ଧରମ ।

ଚଳିଆସି ଗେଲବସରେ

ଆମ୍ଭେ ପିଲାଟି ଦିନୁ,

ସେ High atmosphere

ଭୁଲି ନଥିଲୁ ମନୁ ।

ଅର୍ଥର Want ପଡ଼ିଲା

ଗଲୁ ସାହୁ ଦୁଆର,

ଚାହୁଁ ଚାହୁଁ ଘୋଟି ଆସିଲା

ଋଣ-ବିଷମ-ଜ୍ୱର ।

ନୀଚ୍ଚ ଲୋକମାନେ ହସିଲେ

ଦେଖି ଏ Cordition;

ମହାଜନ ଦେଲା ଛଡ଼ାଇ

ଆମ୍ଭ ନୂଆ Fashion ।

Image

 

ରାଜାଙ୍କ ପାଖଲୋକ

 

ରାଜାଙ୍କର ଆମେ ପାଖଲୋକ ଜଣେ

ଭଲ ମନ୍ଦେ ତାଙ୍କୁ ଦେଉ ବିଚାର,

ଖୋଷାମତ କଥା ଶୁଣାଉ ତାହାଙ୍କୁ,

ତୁଟି ପଡ଼ିଗଲେ ହେଉ ନାଚାର ।

ଆମ୍ଭ ପ୍ରତି ତାଙ୍କ ବିଶ୍ୱାସ ଅଟଳ,

କ୍ଷୀର ନୀର ପ୍ରୀତି ଥାଏ ସତତ,

ଆମ୍ଭେ ପ୍ରାଣବାୟୁ, ପିଣ୍ଡ ସମ ସେହି,

ସର୍ବକାର୍ଯ୍ୟେ ତାଙ୍କ ଦକ୍ଷିଣ ହସ୍ତ ।

ବିଧିର ବିଧାନ କେ କରିବ ଆନ ?

ଯାହା ଭାଗ୍ୟେ ଅଛି ରାଜ ସୁଯୋଗ;

ସେ କିପାଁ ଲୋଡ଼ିବ ଅନ୍ୟର ଆଶ୍ରୟ

ଛାଡ଼ି ରମ୍ୟ ହର୍ମ୍ମ୍ୟ ନବର ଭୋଗ ?

ଭାଗ୍ୟ ଦେବୀଙ୍କର ଅଦ୍ଭୁତ ଭିଆଣ

ଯାହା ପ୍ରତି ଥରେ ଦିଅନ୍ତି ଚାହିଁ,

ଅମୃତ ଭଣ୍ଡାର ଆପେ ଆପେ କାହୁଁ

ମିଳେ ତାହା ପାଶେ ନିମେଷ ପାଇଁ ।

ଏହିପରି ଆମ୍ଭେ ହୋଇ ରାଜସଖା

ଲଭିଲୁ ଗୌରବ, ସମ୍ମାନ, ଭକ୍ତି,

ଆପଣାକୁ ମଣି ବିନା ଛତ୍ରେ ରାଜା

ଗରବେ ଫୁଲାଇ ଚାଲିଲୁ ଛାତି ।

ନେତ୍ର ବେନି ନେଇ ମସ୍ତକେ ସ୍ଥାପିଲୁ,

ପଦରେଣୁ ତୁଲ୍ୟ ମଣିଲୁ ସର୍ବ,

ପରଜାଙ୍କ ଅନ୍ନେ ବିଷ ଦେଇ ଆମ୍ଭେ,

କଳେ ବଳେ ନେଲୁ ତାଙ୍କ ବିଭବ ।

ସହି ନପାରି ଏ ଅତ୍ୟାଚାର ବିଭୁ

ସଦବୁଦ୍ଧି ଦେଲେ ରାଜାଙ୍କ କର୍ଣ୍ଣେ,

‘ପ୍ରଜା ଯୋଗୁ ପରା ତୋର ସ୍ଥିତି ବତ୍ସ !

(ତାଙ୍କ) ମଙ୍ଗଳ କାମନା ନକଲୁ ଦିନେ ।’

ଖୋଲି ଗଲା ଏବେ ପ୍ରଜାଙ୍କ ସୌଭାଗ୍ୟ;

ରାମରାଜ୍ୟ ବାର୍ତ୍ତା ହେଲା ପ୍ରଚାର,

ରାଜକୋପେ ଆମ୍ଭେ ଜୀଇ ଥାଉଁ ଥାଉଁ,

ଭୋଗିଲୁ ନରକ ଯନ୍ତ୍ରଣା ଘୋର ।

Image

 

ଫରଓ୍ୱାଡ

 

ବନ୍ଧୁ ମହଲେ ପଡ଼ିଛି ହୁରି ।

(ଆମ୍ଭେ) Most forward;

ଲାଟ ସାହେବ ହୁଅନ୍ତୁ ସୁଦ୍ଧା,

ତାଙ୍କ ସହିତ word

Town ମଧ୍ୟେ famous ଆମ୍ଭେ

କରିଛୁ ବଡ଼ ନାମ;

Hope ଅଛି world ଦିନେ

ଜାଣିବ ଆମ କାମ ।

care ନାହିଁ ଗୁରୁଙ୍କୁ ତିଳେ;

father ସଙ୍ଗେ ଯୁକ୍ତି !

ବଡ଼ ଭାଇଙ୍କ Presence କାଳେ

ଆମ୍ଭ Meeting-ପତି ।

ସିଗ୍ରେଟ୍‌ ଖାଇ free talking

ଚଳଇ ତାଙ୍କ ସଙ୍ଗେ;

ବେଳ ପଡ଼ିଲେ ଧୂଆଁ ଗୁଡ଼ାକ

ଉଡ଼ାଉ ମୁହଁ ଦିଗେ ।

ଆପଣା ହାତେ ଏବକୁ ସର୍ବେ

ଚଉଦ ପାଆ ଲମ୍ୱ;

କାହିଁକି ଆମ୍ଭେ ଡରିବା ତାଙ୍କୁ ?

ନାହିଁ କି ହୃଦେ ଦମ୍ଭ ?

ଭଲକାମତ କରନ୍ତି ସର୍ବେ,

ଆମ୍ଭ duty କାହିଁ ?

(ତେଣୁ) ଜଗତେ ଯେତେ ଅଭଲ କାମ,

leader ଆମେ ତହିଁ ।

Zeal ସହିତ work କରି,

କରୁ ବିଜୟ ଧ୍ୱନି ।

କେତେବେଳେ ବା ଲୁହ ପୋଛାରେ

ତିନ୍ତଇ ଲୁଗା କାନି ।

Image

 

ମାମଲତକାର

 

ମାମଲତ– କାର ଆମେ

ଦେଖିବ ଆସ ଭାଇ;

ମକଦ୍ଦମା ଆତଯାତ

ସହରେ ସଦା ଥାଇ ।

ଓକୀଲରୁ ମେଜେଷ୍ଟର

ନ ଚିହ୍ନେ କିଏ ମୋତେ ?

ଟଙ୍କା ଥିଲେ ଅଭାବ କି

ରହିଛି ଏହି ମର୍ତ୍ତ୍ୟେ ?

ଗାଁଆ ଆଖ- ପାଖ ଯେତେ

ମୁଖିଆ ଲୋକ ସବୁ,

ଆମ୍ଭ ପାଖେ ଧୀର, ସ୍ଥିର;

ମଣନ୍ତି ଯେହ୍ନେ ପ୍ରଭୁ ।

ତନ୍ତୀ ସାହି ମହାବଳ

ବିଲୁଆ ତୁଲ୍ୟ ରୀତି;

ସିଂହବଳ ବୁଝି ମୋର,

ପାଆନ୍ତି ବଡ଼ ଭୀତି ।

ଆଉ ଯେତେ ବାଜେ ଲୋକ

ପଚାରେ ତାଙ୍କୁ କିଏ ?

ଆଜ୍ଞା ବକା ପ୍ରାୟ ସଦା

ଖଟନ୍ତି ମୋର ପାୟେ ।

ବାପାବସି ଘରକୋଣେ

ଅରଜି ଥିଲେ ଧନ;

କୂଅ ବେଙ୍ଗ ରୂପେ ରହି

କାଟିଲେ ତାଙ୍କ ଦିନ ।

(କିନ୍ତୁ) ଯୋଗ୍ୟତମ ପୁତ୍ର ଆମ୍ଭେ

ଜନମି ତାଙ୍କ କୋଳେ;

କରାଇଲୁ ଆମ୍ଭ ନାମ

ବଢ଼ିଆ ବୁଦ୍ଧି ବଳେ ।

ୟାକୁ ମାରି ତାକୁ ଧରି

ହୋଇଲୁ ଜଗଜ୍ଜିତା ।

ଧନବନ୍ତେ ଦାନକରି,

ବୋଲାଉ ଆପେ ଦାତା ।

ଗରିବଙ୍କ ତଣ୍ଟି ଚିପି

ଆଣିଲୁ ଜମିବାଡ଼ି ।

ଟଙ୍କା ଖେଳ ଖେଳି, ମୁଣ୍ଡେ

ବାନ୍ଧିଲୁ ଜୟ-ଶାଢ଼ୀ ।

‘ଧନ ଯାଉ, ମାନ ଥାଉ’

ଆମ୍ଭର ଏହି ପଣ;

କାଉଁରିଆ କାଠି ତୁଲ୍ୟ

ମହତ୍‌ ଆମ୍ଭ ଗୁଣ ।

ନାହିଁ ଅନ୍ୟ ଧର୍ମ, କର୍ମ,

ସତତ ଏହି ବ୍ରତ;

ପରଅମ– ଙ୍ଗଳ କାର୍ଯ୍ୟେ

ଜୀବନ ସାରା ରତ ।

Image

 

ଖାଣ୍ଟି ବ୍ରାହ୍ମଣ

 

ଛୁଅଁନା ଛୁଅଁନା ଆମ୍ଭେ ଖାଣ୍ଟି ବିପ୍ର ସୁତ,

ଆଚାରେ ବ୍ୟବହାରେ ଚ ସର୍ବଦା ପବିତ୍ର ।

ମନୋର୍ବାକ୍ୟଂ ପାଳୟିତୁଂ ଆମ୍ଭ ପ୍ରାଣ ଗଢ଼ା,

କଡ଼ା ନିୟମ ପଢ଼ିଲେ ଛାଡ଼ି ଦେଉ ଥୋଡ଼ା ।

କଦାଚିତ୍‌ ପଡ଼ିଯାଏ ଯଦି ଶୂଦ୍ର ଛାୟା,

ଅଶୁଦ୍ଧିର୍ଭବତି ମମ ଏତାଦୃଶୀ କାୟା ।

ପୁନରପି ପିନ୍ଧୁ ଆମ୍ଭେ ନବ ଉପବୀତ,

ମହାପ୍ରସାଦ ସେବୟା ଶୁଦ୍ଧିକରୁ ଗାତ୍ର ।

ଗତଃ କୁତ୍ର ଆମ୍ଭ ବାପା, ଗୋସିବାପା କାଳ,

ଏବକୁ ବଦନ୍ତି ସର୍ବେ ହେବା ଏକାକାର ।

ଏକପତ୍ରେ ଅନ୍ନଂ ଭୁକ୍ତ୍ୱା ହରାଇବା ଜାତି,

ଏକ ପ୍ରାଣେ ଘୁଞ୍ଚାଇବା ଦେଶର ଉନ୍ନତି ।

ପରିହର ପରିହର ତାଦୃଶ କଳ୍ପନା,

ଶୁଣି, ଉପହାସ କରିବେଟି ଆମ୍ଭ ନନା ।

ସର୍ବେଷାଂ ବର୍ଣ୍ଣନାଂ ଆମ୍ଭ ଜାତି ଅଟେ ରାଜା,

ଅଳଂ ନିର୍ବିକାରେଣାପି, ଛାଡ଼ି ଏଡ଼େ ମଜା ?

ରକ୍ଷଣୀୟଃ ବିପ୍ରନୀତିଃ ମୟା ଯଥାସାଧ୍ୟ,

ଦେଖାଇ ପ୍ରଭୁତ୍ୱ, ହେବୁ ସର୍ବସ୍ୟ ଆରାଧ୍ୟ ।

ପ୍ରବର୍ତ୍ତାଇ ନ ପାରିଲି କକେଇଙ୍କି ଏକା,

ଅର୍ଥଲୋଭେ ବ୍ୟବସାୟ କଲେ କନ୍ୟା ବିକା ।

ସ୍ତ୍ରୀୟଃ ବ୍ୟବହାରଂ ଦୃଷ୍ଟ୍ୱା, ମାଡ଼େ ବଡ଼ ଲାଜ,

ବିନା ସ୍ନାନେ କରନ୍ତି ସେ ବିପ୍ରୋଚିତ କାର୍ଯ୍ୟ ।

ଆମ୍ଭ କୃତ ମହାପାପ ନୁହେଁ ପାପେ ଗଣା,

ଅପର ଜାତିଙ୍କ ପ୍ରତି ବଡ଼ କଟକଣା ।

Image

 

ବଡ଼ ଲୋକରପୁଅ

 

ଆମ୍ଭ ବାପା ଜଣେ ବଡ଼ଲୋକ,

ମାସିକ ହଜାର ସଂଖ୍ୟା ଆଣନ୍ତି ଘରକୁ ଟଙ୍କା,

ମଉଜରେ କାଳକାଟି, ଭୁଞ୍ଜୁ ସ୍ୱର୍ଗ ସୁଖ,

ଖଟିଥାନ୍ତି ଦିନ ରାତି ଅସଂଖ୍ୟ ସେବକ ।

ବାବୁଙ୍କର ବଡ଼ ପୁଅ ଆମେ,

ଶିକ୍ଷିତ ସମାଜେ ସଦା ପାଉ ସେନେହ ଶରଧା,

ଦେବତା ସମାନ ଅଟୁ ଅଶିକ୍ଷିତ ଗ୍ରାମେ,

ଭଲା ଭୋଗ ଖଞ୍ଜିଥିଲା ବିଧାତା କରମେ ।

ନାମକୁ କେବଳ ପାଠପଢ଼ା,

ସଙ୍ଗେ ଘେନି ସାଙ୍ଗସାଥୀ, କିବା ଦିନ କିବା ରାତି;

ଚଢ଼ୁ ଆମେ ସାଇକଲ, କେବେ ଅବା ଘୋଡ଼ା,

ମିଳିଯାଏ ପାଶେ, ଯାହା ଯେତେବେଳେ ଲୋଡ଼ା ।

ଭଲ ରୂପେ ଫାଜଲାମୀ ଜଣା,

ଆପଣା ବଡ଼ିମାବଳେ ନ ମାନୁ କାହାକୁ ତିଳେ,

ଭାବୁ ଆମ୍ଭେ ଏକା ବଡ଼ଲୋକ ମଧ୍ୟେଗଣା,

ଶଙ୍କିଯାନ୍ତି ଲୋକେ ଦେଖି ଆମ୍ଭ ବୁଝାମଣା ।

କେତେଦିନେ ବାପା ଗଲେ ଚାଲି;

ହେଲୁ ଆମ୍ଭେ ସ୍ୱେଚ୍ଛାଚାରୀ, ଘରେ ନଚାଇଲୁ ଦାରୀ

କଣା ହେଲା ନିତି ମଦ, ଆପୁ, ଗଞ୍ଜାକଲି,

ଛିଡ଼ିଗଲା କେତେ ମୁଠା ନୂଆ ପଶା ପାଲି ।

ଲକ୍ଷ୍ମୀ କନ୍ଧୁ ଖସିଲେ ଆମ୍ଭର,

ପେଟକୁ ନମିଳେ ଦାନା, ପିନ୍ଧିବାକୁ ନାହିଁ କନା,

ତଥାପି ପୂରୁବ ଗର୍ବ ହୋଇନାହିଁ ଦୂର,

‘‘ବଡ଼ଲୋକ ପୁଅ ଆମେ ସଂସାରରେ ସାର ।’’

Image

 

ବ୍ରିଲିଆଣ୍ଟ୍‌ ସ୍କଲାର

 

Public ଜାଣଇ ଆମ୍ଭଙ୍କୁ

Brilliant scholar.

ଇସ୍କଲରେ ଶୋଭା ପାଉଛୁ

ଯେହ୍ନେ କୀର୍ତ୍ତି-pillar.

ଆଦ୍ୟ position ରହିଛି

ଆମ୍ଭପାଇଁ ସାଇତା ।

ରାତି ଅନିଦ୍ରାରେ ନପାନ୍ତି

ସୁଦ୍ଧା କେହି ତା ପତ୍ତା ।

(ତେଣୁ) Care ନଥାଏ ଗୁରୁଙ୍କୁ;

ଚାଲୁ ଫୁଲାଇ ଛାତି !

ବଡ଼ ବୋଲି ଭାବୁ ନିଜକୁ

ବୃଥା ଗରବେ ମାତି ।

ସଙ୍ଗ ପଢ଼ୁଆଙ୍କୁ ଦେଖିଲେ,

କରୁ disregard;

Opportunity ପଡ଼ିଲେ,

ଦେଉ ଚଢ଼ାଇ ମାଡ଼ ।

ଜୀବନର କାର୍ଯ୍ୟ କଳାପ

ଦେଖି ଡରିବ ଯମ;

ଛାତ୍ର ସମାଜରେ ‘ବଜାରୀ’’

ଆମ୍ଭ ଗୁପତ ନାମ ।

ପିତାଙ୍କର ମନ ଆନନ୍ଦ

‘ପୁଅ ପଢ଼ନ୍ତି ପାଠ;

ପାଆନ୍ତି ପ୍ରଥମ prize

ହୋଇ ପ୍ରଧାନ ଚାଟ’

ବିଦ୍ୟାଗୁଣ ଏକା ସଂସାରେ

ଶ୍ରେଷ୍ଠ ଗୁଣରେ ଗଣା;

ଚରିତ୍ରକୁ କିଏ ପଚାରେ ?

ମନେ ଥିଲା ଧାରଣା ।

(କିନ୍ତୁ) ଦିନେ ଯାଇ ଖୋଲି ଦେଖିଲି

ମୋର conduct ବହି;

ଏଡ଼େ ମୂଲ୍ୟବାନ୍‌ life

ମାଟି ହୋଇଛି ତହିଁ ।

Image

 

ସ୍କାଉଟ୍‌

 

ନିଶ୍ଚିନ୍ତରେ ଭାଇ ଯାପ ଏବେ କାଳ;

ନାହିଁ ବିପଦର ସେ ପୂରୁବ ବଳ;

ଏ ନବୀନ ଯୁଗେ ନବୀନ ଆବେଗେ

ଜାଗିଅଛୁ ଆମ୍ଭେ ନବ ଯୁବା ଦଳ ।

ନିଶ୍ଚିନ୍ତରେ ଭାଇ ଯାପ ଏବେ କାଳ ।

ବିପନ୍ନସାହାଯ୍ୟ ଚିରନ୍ତନ ବ୍ରତ,

ଜୀବନ ଆମ୍ଭର ପରହିତେ ରତ;

*ଦଶଆଜ୍ଞା ମାନି ଚଳିବା ଉଦ୍ଦେଶ୍ୟେ

ପାଇଅଛୁ ଆମ୍ଭେ ସ୍କାଉଟ ସଙ୍କେତ ।

ବିପନ୍ନ ସାହାଯ୍ୟ ଚିରନ୍ତନ ବ୍ରତ ।

* * *

ଭୁଲନା ଭୁଲନା ମରୀଚିକା ଦେଖି,

ଗାଣ୍ଡିମୁଣା ଦିଗେ ନପକାଅ ଆଖି;

ମୁଣ୍ଡପଗଡ଼ିଟା କିଛି ନୁହେଁ ଭାଇ

ଫୁର୍ତ୍ତି ଯୋଗୁଁ ସିନା ଏତେ ଠକାଠକି ।

ଭୁଲନା ଭୁଲନା ମରୀଚିକା ଦେଖି ।

କେତେ କେତେ ରୋଗୀ ମରୁଛନ୍ତି ଗଡ଼ି,

ଲକ୍ଷ ଲକ୍ଷ ଘର ଯାଏ ନିତି ପୋଡ଼ି;

କିଏ ତା ପଚାରେ ? ଆଶା ଅଛି ମାତ୍ର

ସରକାର ଘରୁ ମିଳିବ ତ ପଡ଼ି ।

 

*

ସ୍କାଉଟ୍‌ମାନେ ଦଶଟି ଆଦେଶ (Loyal to the king, loyal to the country ପ୍ରଭୃତି) ମାନି ଚଳିବାକୁ ପ୍ରତିଜ୍ଞାବଦ୍ଧ ହୁଅନ୍ତି ।

Image

 

ଟିଚେର

 

Teacher ନାମରେ ଅଭିହିତ ଆମେ

‘‘teaching ପ୍ରଣାଳୀ ଉତ୍ତମ ଜଣା,

ଖାଇ ଆମ୍ଭ ବେତ, କେତେ କେତେ ଛାତ୍ର

ହୋଇ ଛନ୍ତି ଜନ ସମାଜେ ଗଣା ।

ଉପର ହାକିମ ଆସନ୍ତି ଯେତେକ,

care ନଥାଏ କାହାକୁ ତିଳେ;

ଲମ୍ୱା ଲମ୍ୱା certificate ଦେଇଣ,

ବଢ଼ାଇ ଦିଅନ୍ତି ଦରମା ଠୁଳେ ।’’

ଏହିପରି ନିଜ ବାହାଦୁରୀ କଥା

ଛାତ୍ରଙ୍କ ସମ୍ମୁଖେ ବଖାଣି ନିତି,

ଆପଣା inteligence ପରାକାଷ୍ଠା

ଦେଖାଉ ତାହାଙ୍କୁ ଆଗ୍ରହେ ଅତି ।

ଅନ୍ୟ teacherଙ୍କ teaching ସମ୍ୱନ୍ଧେ

କରିଥାଉ criticize କେବେ;

ଭିତରେ ଭିତରେ plan ଖୋଜୁ; ତାଙ୍କୁ

ଫାନ୍ଦରେ ପକାଇ ଦେବାକୁ ଲବେ ।

Student ମାନଙ୍କ ଛିଦ୍ର ଖୋଜି ବସୁ;

ଉପଦେଶ ଦେବା ଦୂରର କଥା;

ତିଳଟିକୁ ତାଳ କରିବା ଶକତି

ଦେଇଛନ୍ତି ଆମ୍ଭ ହୃଦେ ବିଧାତା ।

Partiality ଆମ୍ଭ ସ୍ୱଭାବିକ ଗୁଣ

power ବିସ୍ତାରେ ସର୍ବଦା ପଟୁ;

ଫଳରେ ନିଜର ସମ୍ମାନ ହରାଇ

ବନ୍ଧୁହୀନ ଭାବେ ଜୀବନ କାଟ ।

Image

 

ରସିକ

 

ନୂତନ ରସିକ ନାମରେ

ଆମ୍ଭେ ସବୁଠି ଜଣା;

ଶୟନେ, ସ୍ୱପନେ, ଜାଗ୍ରତେ

ସଦା ପ୍ରେମ କଳ୍ପନା ।

ଗୋରଚନା ଟୀକା ମସ୍ତକେ

ମୁଖେ ତାମ୍ୱୁଳ ଖିଲି

ଲାବଣ୍ୟ ମୂରତି ଦେଖିଲେ

କିଏ ନଯିବ ଭୁଲି ?

କର୍ଣ୍ଣରେ ଶୋଭଇ କୁଣ୍ଡଳ,

ଗଳେ ସୁବର୍ଣ୍ଣ ହାର;

ଶତ୍ରୁ ସୁଦ୍ଧା ଦେଖି ଆମ୍ଭଙ୍କୁ,

ତେଜି ଦେବ ଆହାର,

ଭାଗ୍ୟବଳୁ ଆମ୍ଭେ ଅଟୁତ

ରାଣ୍ଡୀ ପୁଅ ଅନନ୍ତା

ନିଶ୍ଚିନ୍ତରେ ଖାଇ ପେଟକ

ହେଉ ଉଦୁରୁମତା ।

ବାକ୍ୟରୁ ଆମ୍ଭର ଝରୁଛି

ସଦା ସ୍ୱର୍ଗ ଅମୃତ;

ଗୁପତ ଚୁମ୍ୱକ ପ୍ରସ୍ତର

ନେତ୍ର ଅଗ୍ରେ ନିହିତ ।

ଭୀଷଣ ପ୍ରେମ-ବାରିଧିକି

ଡେଇଁ ତାହା ସାହାଜ୍ୟେ,

ନିମିଷେକ ପାଇଁ ଆସନ

କରୁ-ସ୍ୱରଗ ରାଜ୍ୟେ ।

ଘରେମାତ୍ର ମାତା, ଭଗିନୀ

ଖୋଲି ପ୍ରେମ ଦୋକାନ,

ବହିଛନ୍ତି ନିନ୍ଦା ପସରା;

ଶୁଣି ହଜିଲା ଜ୍ଞାନ ।

Image

 

ନନ୍‍-କୋପରେଟର

 

ଇସ୍କୁଲ ଛାଡ଼ି ହୋଇଛି ମୁହିଁ

Non-co-operator

Mother-land ଉନ୍ନତି ପାଇଁ

ଢାଳିଛି ପ୍ରାଣ ମୋର ।

କର୍ମକୁ କାହୁଁ ପ୍ରବେଶି ଗାନ୍ଧୀ

କହିଲେ ଛାଡ଼ ପାଠ;

Chance ପାଇ ମନ ଆବେଗେ

ଧରିଲି ତାଙ୍କ ବାଟ ।

History ଗୁଡ଼ା କେଡ଼ୁଟା ମାନ,

geography ବଡ଼ dry

ଗଣିତ ଜ୍ଞାନ ନହେଲା କିଛି,

ଯେତେ ମୁଁ କଲି Try ।

ସଂସ୍କୃତ ଯେତେ ଲେଖିଲେ ସୁଦ୍ଧା

ପଣ୍ଡିତ ଦିଏ କାଟି ।

ବୁଦ୍ଧି ବଳରେ ଯୁଟିଲି ଏଣେ,

ସଭିଙ୍କି ମାରି ପଟି ।

First duty ଖଦଡ଼ ପିନ୍ଧା,

ତା ପରେ ଦେଶକାମ;

Hard task ପଡ଼ିଲା ମୋତେ

ବୁଲି ସହର, ଗ୍ରାମ ।

ଅରଟ ଘେନି କାଟିଲି ସୂତା,

ଖାଇଲି ହାତେ ରାନ୍ଧି;

ପୂରୁବ ସୁଖ ସ୍ମରଣ କରି,

ମଲି ମୁଁ ହୋଇ ଧନ୍ଦି ।

ସ୍ୱଦେଶ ପାଇଁ ପଶିଲେ ଯହୁଁ

Prison ଘରେ କେତେ;

ପ୍ରାଣ ଆତଙ୍କେ କର୍ତ୍ତବ୍ୟ ଜ୍ଞାନ

ଦିଶିଲା ନାହିଁ ମୋତେ ।

ବିଦାୟ ଘେନି ସ୍ୱଦେଶ କାର୍ଯ୍ୟୁ,

ମନରେ କଲି ସ୍ଥିର;

ଆଉକି ଲୋଡ଼ା ? ନାମତ ହେଲା

Non-co-operator,

Image

 

ସନ୍ୟାସୀ

 

ତେଜି ସଂସାରର ସୁଖ ଭୋଗ,

ଗାଇ ମୁଖେ ହରି ନାମ ଫେରୁଛୁ ଧାମକୁ ଧାମ;

ନାହିଁ ରାଗ, ଅହଙ୍କାର; ସାଧୁଅଛୁ ଯୋଗ;

ହରି-ଲୀଳା ଶୁଣି ପବିତ୍ର ଏ କର୍ଣ୍ଣଯୁଗ ।

ଆମ୍ଭେ ପରା ପ୍ରଭୁଙ୍କର ସଖା;

ଆମ୍ଭତପେ ହୋଇ ତୋଷ ନିଜେ ପ୍ରଭୁ ପୀତବାସ

ପ୍ରସାରିଣ ଚତୁର୍ବାହା, ଦେଇଥିଲେ ଦେଖା;

ଏହି ଦେହେ ସ୍ୱର୍ଗେ ହେବୁ ଦେବଗଣେ ଲେଖା ।

ତେଣୁ ଆମ୍ଭ ମହିମା ଅପାର;

ବିଶ୍ୱବାସୀ ଆମ୍ଭପ୍ରତି ଦେଖାନ୍ତି ଅଚଳା ଭକ୍ତି

ବୁଝି ନ ପାରନ୍ତି ଆମ୍ଭ ଭଣ୍ଡ ବ୍ୟବହାର,

ମଣନ୍ତି ପ୍ରଭୁ କଳାରେ ଗଢ଼ା ଏ ଶରୀର ।

ପେଟଭରି ମିଲଇ ଭୋଜନ,

ଲଗାଇ ଗଞ୍ଜାଇ ଧୂପ ମାରୁଥାଉ ବୃଥା ଗପ;

କେବେ ମୁଖରୁ ବାହାରେ ଭବିଷ୍ୟ ବଚନ;

ଅଭିଶାପ ଭୟେ ଯୁକ୍ତି ନକରେ କେ ଜନ ।

ଲୋଭ କ୍ରୋଧେ ଆମ୍ଭ ହୃଦ ଭରା,

କାମାନଳେ ହୋଇ ଘାରି, ଲୋଡ଼ୁ ସଦା ପ୍ରେମ-ବାରି;

ମହାକାଳ ଫଳ ସମ ଦିଶୁ ଆମ୍ଭେ ତୋରା,

ପେଟଲାଗି ପିନ୍ଧୁଥାଉ କଉପୁନୀ, ମାଳା ।

ଏ ଜୀବନ ଅଟେ ପାପମୟ;

ଉଦର ଗରଳସିନ୍ଧୁ, ମୁଖେ ଥାଏ ସୁଧା ବିନ୍ଦୁ

ବାକଚାତୁରୀରେ କରିଅଛୁ ବିଶ୍ୱ ଜୟ;

କାଳେ କିଏ ଚିହ୍ନିଦେବ ଚିତ୍ତେ ସଦା ଭୟ ।

Image